‘ଆଶା’ ତୁମେ ଧୂସର ଧରାରେ ଶୀତଳ ମୌସୁମୀ ବାଆ
‘ଆଶା’ ତୁମେ ସବୁଜ ବଳୟ ସୃଷ୍ଟି ସମୂହର ଶାହା
‘ଆଶା’ କଣ୍ଟକିତ ପଥେ ପ୍ରୀତିର ଗୋଲାପ ଫୁଲ
‘ଆଶା’, ତୁମେ ତୃଷିତ ଚକୋରି ଝୁରୁଛ ବର୍ଷା ବାଦଲ
‘ଆଶା’ ତୁମେ ବସନ୍ତେ ଫଗୁଣ ଫଗୁଣରେ କୁହୁତାନ
‘ଆଶା’ ତୁମେ ସେହି କୁହୁତାନେ ମଳୟର ସମ୍ମୋହନ
‘ଆଶା’ ତୁମେ ପରାଜିତ ପ୍ରାଣେ ଜିତିବାର ନୂଆ ସୂତ୍ର
‘ଆଶା’ ତୁମେ ଅଜ୍ଞାନର ଜ୍ଞାନ ଜ୍ଞାନର ଗାରିମା ଗୋତ୍ର
‘ଆଶା’ ତୁମେ ଅସହାୟ ମନେ ସାହା ଭରଷାର ସାଥି
‘ଆଶା’ ତୁମେ ଭରଷା ହୃଦୟେ ବରଷାର ନୂଆ ପ୍ରୀତି
‘ଆଶା’ ତୁମେ ଭୋକିଲା ଉଦରେ ଅର୍ଣ୍ଣ କଣିକାର ବନ୍ଧୁ
‘ଆଶା’ ତୁମେ ମରୁଭୂମି ପଥେ ଅମୃତର ଏକ ସିନ୍ଧୁ
‘ଆଶା’ ତୁମେ ଅନ୍ଧକାର କୋଳେ ପ୍ରଦୀପର ଏକ ଶିଖା
‘ଆଶା’ ତୁମେ ସେହି ପ୍ରଦୀପର ଅନ୍ତିମ ଜୀବନ ରେଖା
‘ଆଶା’ ତୁମେ ତରୁଣ ମନରେ ପ୍ରିତୀ କମ୍ପନର ସ୍ଵର
‘ଆଶା’ ତୁମେ ସାଧବ ବଧୁର ଅଙ୍ଗିୟ ଶଙ୍ଖା ସିନ୍ଦୂର
‘ଆଶା’ ତୁମେ ନିଦାଘ ତାତିରେ ଚନ୍ଦନର ଏକ ଗାର
‘ଆଶା’ ତୁମେ ଶ୍ରାବଣ ରାତିର ଅମୃତର ବାରିଧାର
‘ଆଶା’ ତୁମେ ଅନ୍ତିମ ସମୟେ ନିର୍ମାଲ୍ଯ ଏକ ବୁନ୍ଦ
‘ଆଶା’ ତୁମେ ସେହି ସମୟର କୋକେଇ ଏକ କାନ୍ଧ ।
Leave a Reply